Unknown

 

 

 

 

 

 

 

 

 

କମଳାକାନ୍ତ ଚଉତିଶା

ଭକ୍ତକବି ଦୀନକୃଷ୍ଣ ଦାସ

 

(ଓଡ଼ିଆ ରୀତିଯୁଗ ସାହିତ୍ୟକୁ ଯେଉଁ କେତେଜଣ କବି ନିଜର ଅପୂର୍ବ କାବ୍ୟ ସମ୍ଭାର ଦ୍ଵାରା ଋଦ୍ଧିମନ୍ତ କରିଯାଇଛନ୍ତି, ସେମାନଙ୍କ ମଧ୍ୟରେ ଦୀନକୃଷ୍ଣ ଦାସ ଅନ୍ୟତମ ଶ୍ରେଷ୍ଠ କବି । ‘କ’ ଆଦ୍ୟ ବର୍ଣ୍ଣକ୍ରମରେ ରଚିତ କବିଙ୍କ ‘ରସ କଲ୍ଲୋଳ’ ଏକ ଅନବଦ୍ୟ ସୃଷ୍ଟି । ପଦର ଲାଳିତ୍ୟ ପାଇଁ ଏହା ପ୍ରସିଦ୍ଧ । ତେଣୁ କୁହାଯାଇଥାଏ- ‘କଲ୍ଲୋଳେ ପଦ ଲାଳିତ୍ୟମ୍’ ସୁନ୍ଦର ପଦ ସଂଯୋଜନା, ପଦର କୋମଳତା ତାଙ୍କ କାବ୍ୟ, କବିତା, ଚଉତିଶାକୁ ବିଭବ ମଣ୍ଡିତ କରିଛି । କବିଙ୍କ ଚଉତିଶା ସମୂହ ତାଙ୍କର ଅଗାଧ ପାଣ୍ଡିତ୍ୟ ଓ ଉଚ୍ଚକୋଟୀର କବିତ୍ଵର ପରିଚୟ ଦେଇଥାଏ । ‘କମଳାକାନ୍ତ ଚଉତିଶା’ରେ କବିଙ୍କ କବିତ୍ୱ ଓ ପାଣ୍ଡିତ୍ୟ ସୁନ୍ଦର ଭାବେ ଫୁଟିଉଠିଛି ।)

 

(ରାଗ-ଚୋଖି)

କମଳକାନ୍ତ ବାହନ, ଭକ୍ଷଧାରୀ ନାରୀ ଯାନ,ତା ସୁତ ତା ରିପୂ ପୂର୍ଣ୍ଣ ମୁଖ ମିଳନ

କନକପୁର ଯାହାର, ତା ରିପୁ ଦୂତ ଭଣ୍ଡାର, କରିଛ ପାଣି ସଂଯୋଗ ରବିସୁତେଣ ।

କୁଚେ ପଡ଼େ କଜ୍ଜ୍ୱଳ ପାଣି

କରୀ ରିପୁପତି ପତି ଶିରେ ଜାଣି ।୧।

 

ଖସିଛି କବରୀଭାର ପଡ଼ିଛି ଚରମପର ଖରାରିପୁ ଗଗନରେ ଯେସନେ ଶୋଭା

କ୍ଷୀଣ କଟୀ ରିପୁମଦ ଭାଲରେ ଚନ୍ଦନବିନ୍ଦୁ ସମ୍ପୂର୍ଣ୍ଣ ଉଦୟ ଦ୍ୱିଜରାଜ କି ଅବା ।

ଖଞ୍ଜନୀ ତୋ କର୍ଣ୍ଣେ କୁଣ୍ଡଳ

ଖଗପତି ସୁତର ମୁକୁଟମଣ୍ଡଳ ।୨।

 

 

ଗଜଶିର ମୋତି ଫଳପ୍ରବାଳେ ମିଶ୍ରିତ ମାଳ ଗଳାରୁ କାଢ଼ିଣ କିମ୍ପା ଥୋଇଛ ତଳେ

ଗଙ୍ଗାଧର ନାରୀ ଯାନ ରିପୁଦନ୍ତ ପଲଙ୍କେଣ ନ ଶୋଇ ଶୋଇଛ କିମ୍ପା ଶାରଙ୍ଗ ପରେ ।

ଗୋରୀ ମୋତେ କଲ କି ମାନ

ଗଙ୍ଗାଧରଧାରୀମୁଖୀ ତୁ ମୋ ଜୀବନ ।୩।

 

ଘୃତଭୋଗୀ ରିପୁସୁତ ଘଟଣା ମୁଖ ପୀଡ଼ିତ ଘୃମିତ ଦିଶୁଛି ବନସୁତ ଲୋଚନ

ଘାତକୀ କରି ଅଇରି ରିପୁଅଙ୍ଗେ ଯେହ୍ନେ ଘାରି ଘନ ଘନ ହୋଇ ଶ୍ୱାସ ମନ ବିମନ ।

ଘଟଣ ତୋ ଅଳକା ପନ୍ତି

ଘେନିଣ ବିହରେ ଚନ୍ଦ୍ର ଚକୋରପନ୍ତି ।୪।

 

(୧) ଶବ୍ଦାର୍ଥ- କମଳାକାନ୍ତ- ଲକ୍ଷ୍ମୀକାନ୍ତ ବିଷ୍ଣୁ, ବାହନ-ଗରୁଡ଼, ଗରୁଡ଼ ଭକ୍ଷଧାରୀ-ସର୍ପ, ନାରୀ-ଦୁର୍ଗା, ଯାନ-ସିଂହ ତା’ ସୁତ-ସିଂହିକା ସୁତ ଅର୍ଥାତ୍ ରାହୁ, ତା’ ରିପୁ-ଚନ୍ଦ୍ର, କକେପୁର-ଲଙ୍କା, ଯାହାର-ରାବଣର, ତା’ ରିପୁ-ରାମ, ତା’ ଦୂତ – ହନୁମାନ, ଭଣ୍ଡାର-ଗାଲ, ପାଣି - ହାତ, ରବିସୁତ - କର୍ଣ୍ଣ, କରୀ-ହାତୀ, ତା’ ରିପୁ-ସିଂହ, ରିପୁପତି-ପାର୍ବତୀ, ତା’ ପତି ଶିବ ।

 

ଭାବାର୍ଥ- ହେ ବିଷ୍ଣୁ, ତୁମ ବାହନ ଗରୁଡ଼ । ସିଏ ସର୍ପ ଭକ୍ଷଣକାରୀ । ସର୍ପଧାରୀ ଶିବ, ଦୁର୍ଗାଙ୍କ ଯାନ ସିଂହ । ତା’ ସୁତ ସିଂହିକା । ସିଂହିକାର ସୁତ ରାହୁ, ତା’ ଶତ୍ରୁ ଚନ୍ଦ୍ର । ସେଇ ମୁଖଚନ୍ଦ୍ର ତୁମର ମଳିନ ଦେଖଯାଉଛି । କନକପୁର ବା ସୁବର୍ଣ୍ଣପୁର ଲଙ୍କା, ପାହାର ଅର୍ଥାତ୍ ରାବଣ, ତା’ ଶତ୍ରୁ ହେଉଛନ୍ତି ରାମଚନ୍ଦ୍ର । ତାଙ୍କ ଦୂତ ହନୁମାନ । ସେ ଗାଲରେ ହାତ ଓ କାନ (କର୍ଣ୍ଣ-ରବିସୁତା) ଦେଇ ବସିଛି । ସେ କାନ୍ଦିବାରୁ ତା’ ଆଖିର କଜ୍ଜଳ ପାଣି ବକ୍ଷୋଜ ଉପରେ ପଡ଼ିବାରୁ, ହାତୀର ଶତ୍ରୁ ସିଂହ, ତାଙ୍କ ପତି ପାର୍ବତୀ ଓ ତାଙ୍କ ପତି ଶିବଙ୍କ ଉପରେ ଆକାଶ ଗଙ୍ଗାଧାର ଧାର ପଡ଼ିଲା ପରି ଜଣାଯାଏ ।

 

(୨) ଶବ୍ଦାର୍ଥ- ଚରମ-ପିଠି, ଖରାରିପୁ-ମେଘ, ଗଗନ-ଆକାଶ, କ୍ଷୀଣକଟୀ ରିପୁ-ସିଂହ ଶତ୍ରୁ ମୃଗ, ଭାଲ-କପାଳ, ମଦ-କସ୍ତୁରୀ ।

 

ଭାବାର୍ଥ- କବରୀଭାର ପିଠି ଉପରେ ଖସି ପଡ଼ିଛି । ମେଘ ଅର୍ଥାତ୍ ପିଠି ଉପରେ ବାଳଫିଟି ପଡ଼ି ଆକାଶରେ ମେଘ ଉଦୟ ହେଲା ପରି ଦେଖାଯାଉଛି । ତୁମ କ୍ଷୀଣ କଟୀ ମୃଗ, କସ୍ତୁରୀ ବିନ୍ଦୁ ଉପରେ ଚନ୍ଦନବିନ୍ଦୁ ଘେନି ଥିବାରୁ ଚନ୍ଦ୍ର ଉଦୟ ହେବା ପରି ଦେଖାଯାଉଛି । ତୁମର କର୍ଣ୍ଣରେ ଥିବା କୁଣ୍ଡଳ କନ୍ଦର୍ପର ଦର୍ପଣ ପରି ଦିଶୁଛି ।

 

(୩) ଶବ୍ଦାର୍ଥ- ଗଙ୍ଗାଧର- ଶିବ, ନାରୀ-ଦୁର୍ଗା, ଯାନ-ସିଂହ, ଶାରଙ୍ଗ-ପୃଥବୀ ।

 

ଭାବାର୍ଥ- ଜଗମୋତି ଓ ପୋହଳା ମିଶା ମାଳାକୁ ଗଳାରୁ କାଢ଼ି କାହିଁକି ତଳେ ଥୋଇଛି-? ହାତୀଦାନ୍ତ ପଲଙ୍କରେ ନ ଶୋଇ ଭୂମି ଉପରେ ଶୋଇଛ କାହିଁକି ? ହେ ଗୋରି, ମୋ ଉପରେ ମାନ କଲକି ? ହେ ଗଙ୍ଗାଧରଧାରୀ ମୁଖୀ ତୁମେ ମୋ ଜୀବନ ।

 

(୪) ଶବ୍ଦାର୍ଥ- ଘୃତଭୋଗୀ-ଅଗ୍ନି, ତା’ର ଶତ୍ରୁ ଜଳ, ବନ-ଜଳ, ତା’ର ସୁତ ପଦ୍ମ, କରୀ-ହାତୀ, ଅଇରି-ସିଂହ, ତା’ର ଶତ୍ରୁ-ମୃଗ ।

 

ଭାବାର୍ଥ- ପଦ୍ମପରି ଘଟଣ ହୋଇ ପ୍ରକାଶ ପାଉଥିବା ମୁଖରେ ରକ୍ତପଦ୍ମପରି ରଙ୍ଗ ହୋଇ ଚକ୍ଷୁ ଘୁମାଇଲା ପ୍ରାୟ ଦେଖାଯାଉଛି । ଶବରର ଶରରେ ଆହତ ହୋଇ ମୃଗ ଘନ ଘନ ନିଶ୍ୱାସ ଯେମିତି ଛାଡ଼ିଥାଏ, ସେମିତି ତୋ ମନ ଦୁଃଖରେ ଭାଙ୍ଗି ପଡ଼ିଛୁ । ତୋ ମୁଖଚକ୍ର ଓ କେଶଗୁଚ୍ଛ ଚକୋର ପନ୍ତି ସଦୃଶ ।

 

ନବୀନ ମୁକୁରକାନ୍ତି ନିନ୍ଦେ ଗଣ୍ଡସ୍ଥଳ ଜ୍ୟୋତି ନିବେଶିଛୁ ଶଚିପତି ବାହନ ନେଇ

ନଖରେ ଶାରଙ୍ଗ ଚିରି ଆନନ୍ଦ ଶାରଙ୍ଗୋ ପରି ନୀଳକଣ୍ଠ ଶିରରେ କି ଶଶାଙ୍କ ଉଇଁ ।

ନୀଳକଣ୍ଠ ଶାରଙ୍କ ଉରେ

ନିଶ୍ଚୟ ଧରିଛି ରୂପ ଶାରଙ୍ଗ ପରେ ।୫।

 

ଚନ୍ଦ୍ରତାତ ସୁତ ନାଶେ ମାରରାଜପାଶ କି ସେ ଚନ୍ଦଧାରୀ ରିପୁ ବାଣ ନିଃଶ୍ୱାସ ମଣି

ଚଣ୍ଡୀ ତାପେତନାଶେ ଦେଖି ଗଲା ତିଳ ପୁଷ୍ପେ ଶୁକମୁଖା ନାସା ଶୋଭା ଭାରତୀ ଜାଣି ।

ଚାରୁ ବିମ୍ବଫଳ ଅଧର

ନୂତନ ନବପଲ୍ଲବ କି ଜାଣି ମନ୍ଦାର ।୬।

 

କ୍ଷୀରୋଦ ନନ୍ଦନମାଳ ସିନ୍ଦୂର କରିଛି ମେଳ ଛନ୍ଦିଲା ଦଶନ ଶ୍ରେଣୀ ସୁସଞ୍ଚ କରି

କ୍ଷୀଣକଟୀ ପତିକାନ୍ତ ତା ରିପୁ ତାର ମଇତ୍ର ତା ବାଣୀ ବିଧାତା ତୋର ସୁକଣ୍ଠେ ଭରି ।

ଛାଡ଼ ତାପ କହ ବନଚ

ଛାଡ଼ିଯାଉ ଶୁଣି ମୋ ମାନସୁ ଶୋଚନା ।୭।

 

 

ଜଳଜ ବିଧାତା ଆଣି ଯୁଗଳ ଖଞ୍ଜନ ଘେନି ଯତନେ ଆନନ ନିର୍ମାଣ କଲା

ଯୋଗୀତପ ହତମର ଚାହାଣୀ ତୋହର ଶର ଭ୍ରୂଲତା ଚାପ ଅଞ୍ଜନ ପୁଣ ରଚିଲା ।

ଯଦି ଯୋଗଧାରୀ ହୋଇଲେ

ଯିବ ତା ଧଇର୍ଯ୍ୟପଣ ମୁଖ ଦେଖିଲେ ।୮।

 

(୫) ଶବ୍ଦାର୍ଥ- ନବୀନ-ନୂତନ, ମୁକୁର-ଦର୍ପଣ, ଶଚୀପତି-ଇନ୍ଦ୍ର ।

 

ଭାବାର୍ଥ- ତୋ ଗଣ୍ଡିସ୍ଥଳ ନୂଆ ଦର୍ପଣର କାନ୍ତିକୁ ନିନ୍ଦା କରୁଛି । ଗାଲରେ ହାତ ଦେଇ ବସିଛୁ । ନଖରେ ମାଟିକୁ ଚିରୁଛୁ । ବକ୍ଷୋଜ ଉପରେ ମୁହଁ ରଖିବାରୁ ଶିବଙ୍କ ମସ୍ତକରେ ଚନ୍ଦ୍ର ଉଦୟ ପରି ଦେଖାଯାଉଛି । ମନକୁ ଆସୁଛି ଶିବ ଶାରଙ୍ଗ ମସ୍ତକରେ ଉପରେ, ଶାରଙ୍ଗ ମସ୍ତକ ଉପରେ, ଶାରଙ୍ଗ ଚନ୍ଦ୍ରକୁ ଧରି ଅଛନ୍ତି କି ?

 

(୬) ଶବ୍ଦାର୍ଥ- ଚନ୍ଦ୍ରତାତ-ସମୁଦ୍ର, ତା’ ସୁତ-ମୁକୁତା, ମାର-କନ୍ଦର୍ପ, ତଳପୁଷ୍ଠ-ରାଶିଫୁଲ, ଚାରୁ-ସୁନ୍ଦର, ବିମ୍ବପଳ ଅଧର-ବିମ୍ବଫଳ ପରି ଅଧର, ନବପଲ୍ଲବ - କୋମଳପତ୍ର ।

 

ଭାବାର୍ଥ- ମୁକ୍ତାଥିବା ନାସା କନ୍ଦର୍ପର ପାଶ ପରି ଦିଶୁଛି । ତୋର ନିଶ୍ୱାସ ଚନ୍ଦ୍ରଧାରୀ ଶିବ, ଶତ୍ରୁବାଣ କାମଶର, କାମ ପରି ଜଣାଯାଏ । ହେ ଚଣ୍ଡିକେ, ତୋ ନାସାର ପ୍ରତାପରେ ରାଶିଫୁଲ, ତପସ୍ୟା କରି ମାନସ ନୋହିବାରୁ, ଶୁଆ ଥଣ୍ଟରୁ ଓ କାନ୍ଦ ଭାରତୀ ହାରିଗଲେ । ତୋ ଅଧର ବିମ୍ବଫଳ, ନୂତନ ନବପଲ୍ଲବ, ମନ୍ଦାର ଫୁଲକୁ ଜିଣିଛି ।

 

(୭) ଶବ୍ଦାର୍ଥ- କ୍ଷୀରୋଦ-ସମୁଦ୍ର, ତାନନ୍ଦନ-ମୁକ୍ତା, ଦଶନ ଶ୍ରେଣୀ- ଦନ୍ତପନ୍ତି, କ୍ଷୀଣକଟୀ-ସିଂହ, ତା’ ପତି-ଦୁର୍ଗା ।

 

ଭାବାର୍ଥ- ତୋ ସୁନ୍ଦର ଦନ୍ତପନ୍ତି ମୁକ୍ତାମାଳ ସିନ୍ଦୂରରେ ଗୋଳି ହୋଇ ରହିଲା ପରି ଦେଖାଯାଉଛି । ବିଧାତା କୋଇଲିର ସୁନ୍ଦର ସ୍ୱରକୁ ତୋ କଣ୍ଠରେ ଥୋଇଛି । ଏବେ ମନରୁ ତାପ ଛାଡ଼ି ମଧୁର ବଚନ କହ । ତାହା ଶୁଣିଲେ ମୋ ମନରୁ ଦୁଃଖ ଦୂର ହୋଇଯିବ ।

 

(୮) ଶବ୍ଦାର୍ଥ- ଜଳଜ-ପଦ୍ମ, ବିଧାତା ।

 

ଭାବାର୍ଥ- ବିଧାତା ଯୋଡ଼ିଏ ଖଞ୍ଜନ ପକ୍ଷୀ ଆଣି ତୋର ମୁଖ ଓ ଚକ୍ଷୁକୁ ନିର୍ମାଣ କରିଛି-। ଯୋଗୀମାନଙ୍କର ତପସ୍ୟାକୁ ଭାଙ୍ଗିବାକୁ ତୋ ଚାହାଁଣିକୁ ଶର କରିଛି । ଭ୍ରୂଲତା ଧନୁ କରିଛି । ସେଥିରେ ଅଞ୍ଜନ ଗୁଣକୁ ଚଢ଼ାଇଛି । ଯଦି ଯୋଗ ଧାରୀ ବି ହେବ, ତୋର ମୁଖ ଦେଖିଲେ ତା’ର ଧୈର୍ଯ୍ୟପଣ ତୁଟିଯିବ ।

 

ଝାଡ଼ପତି ସୁତା-ରିପୁ ମଣି ବିରାଜଇ ଚକ୍ଷୁ ଝସକେତନ ଆସନ ମଧ୍ୟେ ବିରାଜେ

ଝଟକଜ୍ୟୋତି ବିରାଜେ ଜ୍ୟୋତିଷ୍କର ତେଜ ଗଞ୍ଜେ ହିରଣ୍ୟମୟ ମଣ୍ଡଳେ ଅରୁଣ ମାଝେ ।

ଝଟକଇ ରୋମାଞ୍ଚଶ୍ରେଣୀ

ଝରେ ହିମଗିରିରୁ କି ହର ଘରଣୀ ।୯।

 

ନୀଳକଣ୍ଠଙ୍କର ବାଦ୍ୟ ନିନ୍ଦଇ ତୋହର ମଧ୍ୟ କଣ୍ଠୀରବ ଠାଣି ଜାଣି ରମା

ନୀଳବାସ ଆଭରଣ ଶାରଙ୍ଗ ଜ୍ୟୋତି କେସନ ନିର୍ମିତ ଅଷ୍ଟରତନେ ଓଢ଼ଣୀ ସୀମା ।

ନ ବହଇ ଶାରଙ୍ଗ ଉରେ

ନୀଳଜଲପନ କଟୀ ଭାଙ୍ଗି ବା ଡରେ ।୧୦।

 

ଟୋପା ତୋ ନିମଗ୍ନନାଭି ଦେଖି ମୁନି ଯୋଗଭାଙ୍ଗି ଟାଣପଣ କେ ଧରିବ ନୟନେ ଦେଖି

ଟାଣରେ ମକରଧ୍ୱଜ ପୀଡ଼ଇ ଅତ୍ୟନ୍ତ ତେଜ ଟାଣ ତୋ ହୃଦୟ ଦେଖି ମୁହିଁ ନିର୍ମାଖି ।

ଟୋପେ ପଡ଼ି ଯେହ୍ନେ କୁରଙ୍ଗୀ ।

ଟୋପନାଭି ରସକୂପେ ମୋ ମନସଙ୍ଗୀ ।୧୧।

 

ଠୁଳ ତୋର ଊରୁ ବେନି ନାଗଶୁଣ୍ଢ ଶୋଭା ଜିଣି ଠୁଳେ ନିର୍ମାଣିଲା ଧାତା ଯୋଗ ଆସନ

ଠୁଳ କରି ଲକ୍ଷବାନ ନିର୍ମଳ ଶୁଦ୍ଧ କାଞ୍ଚନ ନିର୍ମାଣିଲା ଚମ୍ଭା ବାରିଜଘନ ।

ଠଣ ବାରି ଜାତ ପୟର

ଠିକେ ନଖେ ରହିଲା ପଣ୍ଡିତ ପିଅର ।୧୨।

 

(୯) ଶବ୍ଦାର୍ଥ- ଝଡ଼ପତି- ସିଂହିକା, ତା’ ସୁତ-ରାହୁ, ତାରିପୁ-ଚନ୍ଦ୍ର, ଝାସକେତେନ-କନ୍ଦର୍ପ-। (୧୦) ନୀଳକଣ୍ଠ-ଶିବ, କଣ୍ଠୀରବ-ସିଂହ, ଶାରଙ୍ଗ-ମେଘ । (୧୧) ଟୋପ-ଖାଲ, ନିମଗ୍ନ-ବୁଡ଼ିଯିବା, ଗଭୀର, ମକରଧ୍ୱଜ-କନ୍ଦର୍ପ । (୧୨) ଠୁଳ-ଗୋଲାକାର, ବାରିଜାତ-ପଦ୍ମ ।

 

ଭାବାର୍ଥ- (୯-୧୨) ଚନ୍ଦ୍ରକାନ୍ତମଣି ବକ୍ଷସ୍ଥଳରେ ଥିବାରୁ ତାହା କନ୍ଦର୍ପର ସିଂହାସନ ପରି ଦେଖାଯାଉଛି । କର୍ଣ୍ଣରେ ମାଣିକ୍ୟର କୁଣ୍ଡଳ ରହିଥିବାରୁ ତା’ର ଝଟକ ସୂର୍ଯ୍ୟମଣ୍ଡଳ ପରି ଦେଖାଯାଉଛି । ତା’ର ଲୋମାବଳୀ ଝଟକୁଛି । ମନେହେଉଛି, ସତେ ଯେମିତି ହିମାଳୟ ପର୍ବତରୁ ଗଙ୍ଗା ଝରି ଶୋଭା ଦେଖାଯାଉଛି ।

 

ରେ ରାମା, ଶିବଙ୍କର ବାଦ୍ୟ ଡମ୍ବରୁ ତୋର ସିଂହପରି କଟୀ ଦେଶକୁ ନିନ୍ଦା କରୁଛି । ତୋ ଠାଣି ସିଂହଠାଣି ପ୍ରାୟ । ନୀଳ ଲୁଗା ଆଭରଣ ବା ପରିଧାନ କରିଥିବାରୁ ସେ ମେଘ ପରି ଶୋଭା ଦେଖାଯାଉଛି । ଅଷ୍ଟରତ୍ନ ଲାଗିଥିବା ଲୁଗାର ଓଢ଼ଣି ତୋଠାରେ ଦିଶୁଛି । ପବନ ତୋ ଉପରକୁ ବହୁନାହିଁ । କାରଣ ତୋ ସରୁକଟୀ ସୁନ୍ଦର ବକ୍ଷୋଜ ହେତୁ ଭାଙ୍ଗିଯିବାର ଡର ରହିଛି ।

 

ତୋର ସୁଗଭୀର ନାଭିକୁ ଦେଖିଲେ ମୁନି ଋଷିଙ୍କର ଯୋଗ ଭାଙ୍ଗିଯିବ । ତାକୁ ତେଖି କିଏ ବା ଆଣ୍ଟପଣ ରଖିବ ? କନ୍ଦର୍ପ ଟାଣକରି ମୋତେ କଷ୍ଟ ଦେଉଛି । ତୋର ଟାଣ ହୃଦୟ ଦେଖି ମୁଁ ନିରୀମାଖି ହୋଇପଡ଼ୁଛି । ଖାଲରେ ପଡ଼ି ମୃଗ ଯେମିତି କଲବଲ ହୁଏ, ସେମିତି ତୋର ଗଭୀର ନାଭି ରସ କୂପରେ ମୋ ମନ ବୁଡ଼ି ଯାଇଛି ।

 

ତୋର ଦୁଇ ଜାନୁ ବର୍ତ୍ତୁଳାକାର ହୋଇ ହସ୍ତୀଶୁଣ୍ଢର ଶୋଭାକୁ ପ୍ରକାଶ କରୁଛି । ବିଧାତା ଏହାକୁ ଏମିତି ଗଢ଼ିଛି ଯେ, ଦେଖିଲେ ମନକୁ ଲୋଭ ଆସୁଛି । ଲକ୍ଷବାନ ନିର୍ମଳ ଶୁଦ୍ଧ କାଞ୍ଚନକୁ ଠୁଳ କରି ବିଧାତା ତୋର ଚମ୍ପା ଗୋରା ରେ କଦଳୀବୃକ୍ଷ ସମ ଜଙ୍ଘ ନିର୍ମାଣ କଲା । ତୋର ପାଦ ପଦ୍ମ ପ୍ରାୟ ସୁନ୍ଦର । ତୋ ନଖରେ ବୁଧ ଚନ୍ଦ୍ର ରହିଥିବା ମନେ ହୁଏ ।

 

ଡାଳିମ୍ବ କୁସୁମ ଜବା ରକ୍ତକ ଫୁଲର ଆଭା ପ୍ରବାଳ ଜ୍ୟୋତି ଅଙ୍ଗୁଳି ହିରଣ୍ୟମୁଦି

ଡହିଲା ସୋହାଗରିପୁ ନିର୍ମାଣିଲା ମଞ୍ଜରୀକୁ ଡରରେ ଶରଣଗଲେ ଅଳି ଜଳାତି ।

ଡାକ ସୁମାଧୁରୀ ଯେତେକ

ଡର ପୂରାଇଲା ମଞ୍ଜୀରରେ କେତେକ ।୧୩।

 

ଢାଳି ଚାହିଁ ହେମକୁଚେ ଘଟଣା କଲା ସୁସଞ୍ଚେ ଢାଲି ପୂରାଇଲା ତହିଁ ସର ଆହାର

ଢଳ ଢଳ ରସାଣରେ ରସାଣିଲା ଧାତା କରେ ଢାଳ ନ ଦିଶଇ ଗଣ୍ଠିଶିରା ସତ୍ୱର ।

ଢଳେ ପଦ୍ମପତ୍ରେ କି ଜଳ।

ଢାଳେ ଜନମିଛ ତୁମ୍ଭେ ବାରିଜକୁଳ ।୧୪।

 

ଅଙ୍ଗ ତୋ ଅରୁଣଭାବ ଅନଙ୍ଗ ଦେଖି ଅଜୀବ ଅଙ୍ଗି ଉତପତ୍ତି ମୁଁ ବା ଦେଖି ମୋହିତ

ଆଉ ଯେ ଅଛି ଜଗତେ ନୟନେ ଦେଖିଲେ ତୋତେ ଦେବା ସୁରନର କେହୁ ଧରିବ ଚିତ୍ତ ।

ଅବହେଳା ନକର ମୋତେ ।

ଅଦୋଷେ ଦଣ୍ଡିଲେ ରାମା ହସିବେ ତୋତେ ।୧୫।

 

ତ୍ରିଲୋଚନ ଧ୍ୟାନ ଭାଙ୍ଗି କରିଣ ନାଦେ ଅନଙ୍ଗ ସନକ ପିଅର ମୂଳେ ଶାରଙ୍ଗ ଥୋଇ

ତିନି ଏକ ମୁଖ ଯାର ନିର୍ମାଣିଲା ରୂପ ତୋର ତୁମ୍ବୀ ଦୁଇ ସ୍ଥାପି କଲା ଉରଜ ଦୁଇ ।

ତୋର କଣ୍ଠେ ଗୁଣା ଖଞ୍ଜିଲା

ତୁ ତାକୁ ଚାହାଁନ୍ତେ ଚନ୍ଦ୍ରସୁତ ହଜିଲା ।୧୬।

 

ସ୍ଥାଣୁ ତୋ କୁଚ ରୂପରେ ସ୍ଥାନ ଦେଖି ତୋ ହୃଦରେ ହିରଣ୍ୟ ଲିଙ୍ଗ ଶଇଳ ହୋଇ ରହିଲା

ଥୋଇଛୁ ଆନନ୍ଦ ତହିଁ ପ୍ରତ୍ୟକ୍ଷ ମୋତେ ଦିଶଇ ସ୍ଥାଣୁ ଶିରେ କିଏ ଦ୍ୱିଜରାଜ ଉଇଁଲା ।

ଥୋଇ ସୁଧା ହେମ କୁମ୍ଭରେ

ଥିରରେ ମୁଦିଲା ତାହା ନୀଳମଣିରେ ।୧୭।

 

ଶବ୍ଦାର୍ଥ- (୧୩) ଜବା-ମନ୍ଦାର, ଆଭା-ତେଜ । (୧୪) ହେମକୁଚେ-ସୁବର୍ଣ୍ଣବକ୍ଷୋଜ, ବାରିଜକୁଳ-କଇଁକୁଳ । ( ୧୫) ଅଜୀବ-କନ୍ଦର୍ପ । (୧୬) ତ୍ରିଲୋଚନ-ଶିବ, ସନକ-ଋଷିଙ୍କ ନାଁ, ଶାରଙ୍ଗ-ବୀଣା, ଉରଜ-ବକ୍ଷୋଜ, ଚନ୍ଦ୍ରସୁତ-ବୁଧ (ବୁଦ୍ଧି) ।

ଭାବାର୍ଥ- (୧୩-୧୭) ଡାଳିମ୍ବ ଫୁଲ, ମନ୍ଦାର ରକ୍ତ କଇଁ ପରି ଆଭା, ତୋ ପାଦରେ ରତ୍ନମୁଦି ଅଛି । ସୁବର୍ଣ୍ଣରେ ମଞ୍ଜରୀ ଯେ ପାଦ ଭୂଷଣ ତୋର ଅଛି । ସେହି ଶବ୍ଦରେ ଭ୍ରମର, କୋକିଳ ତୁନି ହୋଇ ଶରଣ ଗଲେ । ଯେତେକ ସୁମଧୁର ଡାକ, ସେ ସବୁ ଶୁଦ୍ଧ ହୋଇଛି ।

ଚକ୍ଷୁ ଢାଳି ମୋତେ ଚାହାଁ । ତୋର ବକ୍ଷୋଜକୁ ସୁବର୍ଣ୍ଣରେ ନିର୍ମାଣ କରି ସୌନ୍ଦର୍ଯ୍ୟ ମଣ୍ଡିତ କରିଛି । ସେଥିରେ ଅମୃତ (ସୁର ଆହାର)କୁ ଢାଳି କରି ପୂରାଇଛୁ । ବିଧାତା ସେଇ ବକ୍ଷୋଜକୁ ରସାଣ ଦ୍ୱାରା ରସାଣିଛି । ଫଳରେ ତହିଁରେ ଗଣ୍ଠି କିମ୍ବା ଶିରା ଦିଶୁନାହିଁ । ପଦ୍ମ ପତ୍ର ଉପରେ ଜଳ ଯେମିତି ଢଳ ଢଳ ହେଉଛି । ତୁମେ ଜଇଁ କୁଳରେ ଜନ୍ମିଛ କି ?

ତୋ ଅଙ୍ଗ ଅରୁଣ ପରି ରକ୍ତିମ ବର୍ଣ୍ଣ । ତୋ ଶୋଭା ଦେଖି କନ୍ଦର୍ପ ତା’ ତେଜ ଉତ୍ପତ୍ତି କରିଛି । ତୋତେ ଦେଖି ମୁଁ ମୋହିତ ହୋଇଛି । ଜଗତରେ ଯିଏ ତୋତେ ଦେଖୁଛି, ସିଏ ସୁର ନର ହେଉ ଚିତ୍ତ ଧରି ରହିପାରିବେ ନାହିଁ । ହେ ପ୍ରିୟେ, ମୋ ପ୍ରତି ଅଣହେଳା କରେ ନା, ମୋତେ ଅଦୋଷରେ ଦଣ୍ଡ ଦେଲେ ତୋତେ ସମସ୍ତେ ନିନ୍ଦା କରିବେ ।

ତ୍ରିଲୋଚନଙ୍କ ଧ୍ୟାନ ଭଙ୍ଗ କରି କନ୍ଦର୍ପ କି ବ୍ରହ୍ମାଙ୍କ ନିକଟରେ ତାର ବୀଣାକୁ ରଖିଦେଲା-? ବ୍ରହ୍ମା ତୋର ରୂପ ନିର୍ମାଣ କଲାବେଳେ ସେଇ ବୀଣାରୁ ଦୁଇ ତୁମ୍ୱିକୁ ଆଣି ତୋର ବକ୍ଷରେ ଦୁଇଟି ବକ୍ଷୋଜ ସ୍ଥାପନ କଲା । ତୋର କଣ୍ଠରେ ଗୁଣା ଖଞ୍ଜିଛି ପରା । ତୁ ବ୍ରହ୍ମାକୁ ଚାହିଁବାରୁ ତା’ର ବୁଦ୍ଧି ହଜିଗଲା କି ?

ଶିବ ତୋ ହୃଦୟରେ ସ୍ଥାନ ଦେଖି ହିରଣ୍ୟ ଲିଙ୍ଗ ପର୍ବତ ରୂପରେ ବାସ କରିଛନ୍ତି । ସେହି ବକ୍ଷୋଜ ଉପରେ ତୁ ମୁଖ ରଖୁଥିବାରୁ ଶିବଙ୍କ ଉପରେ ଚନ୍ଦ୍ର ରହିଲା ପରି ମୋତେ ପ୍ରତ୍ୟକ୍ଷରେ ଦେଖାଯାଉଛି । ତୋର ବକ୍ଷୋଜ ଦ୍ୱୟ ହେମକୁମ୍ଭରେ ସୁଧା ରଖି ନୀଳମଣିରେ ତାକୁ ବନ୍ଦ କଲା ପ୍ରାୟ ଦେଖାଯାଉଛି ।

ଦଶଚାରି ଭୁବନର ଦିବ୍ୟ ସ୍ତିରୀ ଯେତେ ତୋର ଦୁଇପାଦେ ତୁଳାଇତ ନୋହିଲେ କେହି

ଦକ୍ଷଦେବ ବାଗ ନର ଗନ୍ଧର୍ବ ଯକ୍ଷ କିନ୍ନର ଦେହରୁ ଚନ୍ଦ୍ର ତନୟ ହରଇ ଚାହିଁ ।

ଦିନମଣି ଦେଖି କୁଣ୍ଡଳ

ଦିବ୍ୟ ତେଜ ତେଜି ରହେ ଘନ ମଣ୍ଡଳ ।୧୮।

 

ଧୀରେ ଦେଖି ଗତି ତୋର ବନ ତେଜି କରୀବର ଧାତା ଯାନ ଦେଖିଣ ସେ ଗତି ଛାଡ଼ିଲା

ଧ୍ୱନି ମଞ୍ଜୀରରୁ ଶୁଣି ଷଟ୍‌ପଦ ମଧୁବାଣୀ ଧିକାର କରିଣ ଆପେ ତୁନି ହୋଇଲା ।

ଧ୍ୟାୟି ଶାରଙ୍ଗକୁ ବସିଲା

ଧିକ ତା ଶାରଙ୍ଗ ପଣ ବାଣୀ ମୁଦିଲା ।୧୯।

 

ନୟନ ମୀନ ହରିଣ ଆବର ଯୁଗ ଖଞ୍ଜନ ନିଜେ ସୁସଞ୍ଚ ନ ଦେଖି ଏମନ୍ତ ଦିଶେ

ନୀରଜ କୁସୁମବନ ନ ବଳି ହୁଏ ଦଳନ ନାରାୟଣ ସୁତ ଧନୁ ବହିଣ କି ସେ ।

ନେତ୍ରରୁ ଯା ନୀର ପଡ଼ୁଛି ।

ନିଧିନନ୍ଦନକୁ କି ଖଞ୍ଜନ ଗିଳିଛି ।୨୦।

 

 

ପାଣି ତୋ ପାଣିଜକୁ କରପଲ୍ଲବ ବାହୁଯୁଗଳ ନାଗଶୁଣ୍ଢ ଜିଣି ଅତି ମଳିନ ଶୋଭା

ପଦ୍ମରାଗ ଚନ୍ଦ୍ରମଣି ବାଜୁବନ୍ଧେ ଠାଣି ପବିତ୍ର ହିରଣ୍ୟ ଚୁଡ଼ି ତୋ ଭୁଜେ ଶୋଭା ।

ପାଣି ତୋ ନୋହେ ତ ନୀରଜ

ପଲ୍ଲବ ଅଙ୍ଗୁଳି ନିନ୍ଦେ କତକରଜ ।୨୧।

 

ଫୁଟି ହେମଗିରି ଭେଦି ବହେ କି କାଳିନ୍ଦୀ ନଦୀ କୁଟିଳ କୁନ୍ଦଳ ବେଣୀ ଶୋହେ ପିଠିରେ

ଫୁଟିଦିଶେ ଶ୍ରେଣୀ ଦୁଇ ସଙ୍ଗତ ହୋଇଛି ତହିଁ ରସସିନ୍ଧୁରେ ପୁଳିନ ପରିସେଠାରେ ।

ଫରହର ହାରକମ୍ପଇ ଫୁଟି

ଖୋଜେ ଗଙ୍ଗା ଭଗୀରଥକୁ ଯାଇଁ ।୨୨।

 

ବଦନ ଟେକି କି ଚାହୁଁ ବଚନ କିମ୍ବା ନ କହୁ ବିଚାରିବୁ ଚିତ୍ତେ ନିଶ୍ଚେ ମାରିବୁ ମୋତେ

ବୈଦ୍ୟ ହୋଇକରି ଯେବେ ମଳୁ ଚିନ୍ତା କରି ତେବେ ବାତ ପିତ୍ତ ଦେଲେ ହୋଇ ଯେମନ୍ତେ ।

ବୀଜ ପୋତି ଅଙ୍କୁର କଲୁ

ବାରି ନ ଦେଇଣ ରବି ତାପେ ମାଇଲୁ ।୨୩।

 

ଶବ୍ଦାର୍ଥ- (୧୮) ଦଶଚାରି ଭୁବନ-ଚଉଦ ଭୁବନ, ଚନ୍ଦ୍ରତନୟ-ବୁଧ (ବୁଦ୍ଧି), ଘନମଣ୍ଡଳ-ମେଘମଣ୍ଡଳ । (୧୯) କରୀବର-ହସ୍ତୀଶ୍ରେଷ୍ଠ, ଧୀ-ବୁଦ୍ଧି, ଯାନ-ହଂସ, ଷଟପଦ-ଭ୍ରମର, ଶାରଙ୍ଗ-ବୀଣା, ପୃଥିବୀ । (୨୦) ନୀରଜକୁସୁମ-ପଦ୍ମବନ, ନାରାୟଣସୁତ- କନ୍ଦର୍ପ, ନିଧୁନନ୍ଦନ-ମୁକୁତା । (୨୧) ପାଣି-ହାତ, ପାଣିଜ-ପଦ୍ମ, ନାଗଶୁଣ୍ଢ-ହାତୀଶୁଣ୍ଢ । (୨୨) ହେମଗିରି-ସୁବର୍ଣ୍ଣଗିରି, କାଳିନ୍ଦୀ-ଯମୁନା, ପୁଳିନ-ତଟ । (୨୩) ରବିତାପ-ସୂର୍ଯ୍ୟ ତାପ ।

 

ଭାବାର୍ଥ- (୧୮-୨୩) ଏ ଚଉଦ ଭୁବନରେ ଯେତେ ଦିବ୍ୟ ସ୍ତ୍ରୀ ଅଛନ୍ତି, ତୋର ଦୁଇପାଦକୁ ସମାନ ହେବେ ନାହିଁ । ଦକ୍ଷ, ଦେବ, ନାଗ, ନର, ଗନ୍ଧର୍ବ, ଯକ୍ଷ, କିନ୍ନର ତୋତେ ଦେଖିଲେ ସେମାନେ ନିଜ ବୁଦ୍ଧି ହରାଇ ବସିବେ । ତୋ କର୍ଣ୍ଣର କୁଣ୍ଡଳ ଦେଖି ସୂର୍ଯ୍ୟ ତେଜରେ ସମାନ ନ ହୋଇପାରି ମେଘ ମଣ୍ଡଳ ମଧ୍ୟରେ ଲୁଟି ରହିଛି । ହାତୀ ତୋର ଗତି ଦେଖି ବଣ ଛାଡ଼ି ପଳାଇ ଯାଇଛି । ହଂସ ତୋ ଗତିକୁ ସମାନ ହୋଇ ନ ପାରି ହଂସ ଗତି ଛାଡ଼ି ଉଡ଼ିବାକୁ ଚେଷ୍ଟା କଲା । ତୋ ପାଦ ଭୂଷଣ ମଞ୍ଜିରର ଧ୍ୱନି ଶୁଣି ଭ୍ରମର ନିଜର ମଧୁରବାଣୀ ସମାନ ନ ହେବା ଦେଖିଲା ଓ ତୁନି ହୋଇ ରହିଲା । ବୀଣା ସମାନ ହୋଇ ନ ପାରି ପୃଥିବୀକୁ ଚାହିଁବସିଲା । ପୃଥିବୀରେ ପରଆପଣା ବାଣୀରୁ ବନ୍ଦ କଲା ।

 

ତୋର ଚକ୍ଷୁ ମୀନ, ହରିଣ, ମୃଗ, ଖଞ୍ଜନ ପକ୍ଷୀ ଏମାନଙ୍କୁ ନିନ୍ଦା କରୁଛି । ପଦ୍ମଫୁଲର ବନକୁ ସେଇ ଚକ୍ଷୁ ଶୋଭା ଦଳି ଦେଇଛି । କନ୍ଦର୍ପ ତୋର ଭ୍ରୂଲତା ହୋଇଛି । ଚକ୍ଷୁରୁ ଲୁହ ଝରିବାରୁ ତାହା ମୁକ୍ତାକୁ ଖଞ୍ଜନ ପକ୍ଷୀ ଗିଳି ବାନ୍ତି କଲାପରି ଦେଖାଯାଉଛି ।

 

ତୋର ଦୁଇ ହାତ ପଦ୍ମପ୍ରାୟ, କରପଲ୍ଲବ ହସ୍ତ ପଦ୍ମପତ୍ର ପ୍ରାୟ, ବାହୁଦ୍ୱୟ ହସ୍ତୀଶୁଣ୍ଢକୁ ଜିଣିଲେ ହେଁ ମଳିନ ଦେଖାଯାଉଛି । ତୋ ବାଜୁବନ୍ଧକୁ ପଦ୍ମରାଗ ଚନ୍ଦ୍ରମଣି ଓ ସୁବର୍ଣ ଚୁଡ଼ି ଶୋଭାମୟ କରିଛି । ତୋ ହାତ ତ ହାତ ନୁହେଁ ଗୋଟାଏ ପଦ୍ମର ପାଖୁଡ଼ା । ନଖଗୁଡ଼ିକ କଢ଼କୁ ନିନ୍ଦା କରୁଛନ୍ତି । ତୋ ପିଠିରେ କୁଞ୍ଚୁକୁଞ୍ଚିଆ କେଶର ବେଣୀ ପଡ଼ି ଶୋଭା ପାଉଛି । ଏହାକୁ ଦେଖି ମନେ ହେଉଛି, ଯେମିତି ମେରୁ ପର୍ବତକୁ ଭେଦ କରି ଯମୁନା ବହୁଛି । ନିତମ୍ବ ବସ୍ତ୍ର ସହିତ ଫୁଟି ଉଚ୍ଚ ହୋଇ ଦିଶୁଛି । ମନେ ହେଉଛି, ରସସିନ୍ଦୁର ତଟ କି ବାଲିକୁଦପ୍ରାୟ ଦିଶୁଛି । ଫୁଲହାର ଯାହା ପବନରେ କମ୍ପୁଛି, ସେ ଗଙ୍ଗା ହୋଇ ଭଗୀରଥ ରାଜାଙ୍କୁ ଖୋଜୁଛିକି ?

 

ମୋତେ ମଥା ଟେକି ଚାହୁଁ ନାହୁଁ କିମ୍ବା କଥା କହୁଁନାହୁଁ । ବୋଧେ ମନରେ ବିଚାର କରିଛୁ, ମୋତେ ମାରିବୁ । ବୈଦ୍ୟ ହୋଇ ମଳୁର ଚିନ୍ତା ନ କରି ଔଷଧ ବୋଲି ବିଷ ଦେବା ପରି ତୁ ମୋ ପ୍ରତି ଆଚରଣ କରୁଛୁ । ମଞ୍ଜି ପୋତି ଗଜା କଲୁ ଅଥଚ ପାଣି ନ ଦେବାରୁ ଖରାରେ ପୋଡ଼ି ମରିଗଲା । ଏପରି କାର୍ଯ୍ୟ ତୁ କରୁଛୁ ।

 

ଭାବରେ ମଜ୍ଜିଲି ତୋରେ ଭିନ୍ନ ତୁ ମଣୁଛୁ ମୋରେ ଭିନ୍ନ ଅବା କିମ୍ପା କରୁ ମୃଗାଙ୍କ ମୁହିଁ

ଭୂମି ଛୁଇଁରେ ସଙ୍ଗାତ କରୁଛି ତୋହ ଶପଥ ଭୂମଣ୍ଡଳେ ତୋହ ବିନୁ ଅନ୍ୟ ମୋର ନାହିଁ ।

ଭିନ୍ନ ଦେଖୁ ନିଜ ସେବକେ

ଭୁବନେ ଦେଖିଲେ କିସ ବୋଲିବେ ଲୋକେ ।୨୪।

 

ମୋହକୁ ମୁକୁଟ ଶିରେ ମାଳ ତୁ ମୋର କଣ୍ଠରେ, ମନରେ ରମଣୀ ତୁହି ଭବବିଭବ

ମୀନକେତନର ଡରେ ଶରଣ ପଶିଲି ତୋରେ ମୋତେ ନାଶ କରି କିସ ପାଇବୁ ଲାଭ ।

ମୃଗଶିଶୁ ନୟନୀ ଚାହିଁ

ମରଣ କାଳବେଳକୁ ହୁଅ ତୁ ସାହା ।୨୫।

 

ଜାହ୍ନବୀଧର ଅଇରି ଜାଣି ଚିତ୍ତେ କୋପକରି ଜୀବନ ହରୁଛି ମୋର ତୋ ମାନସରେ

ଯୁବକ ରତନମଣି ହିତାହିତ ଅଛୁ ଜାଣି ଜଗତରେ ହେବ ଦୋଷ ନାଶିଲେ ମୋର ।

ଜଳୁଅଛି ଶରୀର ମୋର

ଯତନେ ସ୍ନାନ ରସ କପୂର ।୨୬।

 

ରସିଲି ତୋର ସଙ୍ଗରେ ନ ରୁଚଇ ରାମା ମୋରେ ରସବତୀ ଆନ କେବା ତୋର ସମାନ

ରଖ ତୁ ଏବେ ଜୀବନ ନକର ତୁ ଆନ ମନ ରଜତଜିତ ସୁହାସୀ ଛାଡ଼ି ବିମନ ।

ରାମା ଚାହାଁ ରାଗ ଲୋଚନେ

ରଖ ନିଜ ଦାସ ପ୍ରାଣ କହି ବଚନେ ।୨୭।

ଲୋହିତ ପାଦ କମଳ ପଲ୍ଲବ କି ଜବାଫୁଲ ନିବାର କାମ ଯାବକ ମୋ ଶିରେ ଦେଇ

ଧରୁଛି ତୋର ପୟର ବାରେକ ମୋତେ ଉଦ୍ଧର ଲଗାଇଲେ ପାଦ ପାଣିଦେବାଧିସାଇଁ ।

ଲୋଚନେ ନିରେଖି ସୁମୁଖୀ

ଲୋକନାଥ ପାଦେପଡ଼ି ହୁଅଇ ଦୁଃଖୀ ।୨୮।

ଶବ୍ଦାର୍ଥ- (୨୫) ଭବ-ସଂସାର, ବିଭବ-ସମ୍ପଦ, ମୀନକେତନ-କନ୍ଦର୍ପ (୨୬) ଜାହ୍ନବୀଧର-ଶିବ, ଅଇରି-କାମଦେବ । (୨୭) ରଜତ-ରୁପା । (୨୮) ଲୋହିତ-ଲାଲ, କମଳ-ପଦ୍ମ, ପଲ୍ଲବ-କୋମଳ ପତ୍ର, ଜବାଫୁଲ-ମନ୍ଦାର, ପୟର-ପାଦ ।

ଭାବାର୍ଥ- (୨୪-୨୮) ହେ ପ୍ରିୟେ, ତୋ ଭାବରେ ମୁଁ ମଜ୍ଜିଯାଇଛି । ଅଥଚ ତୁ ମୋତେ ଭିନ୍ନ ଭାବୁଛୁ । ହେ ଚନ୍ଦ୍ରମୁହିଁ, ଭୂମି ଛୁଇଁ ନିୟମ କରୁଛି , ଏ ଭୂମଣ୍ଡଳରେ ତୋ ବିନା ମୋର ଅନ୍ୟ କେହି ନାହିଁ । ତୁ ନିଜ ସେବକକୁ ଭିନ୍ନ ଦୃଷ୍ଟିରେ ଦେଖୁଛୁ । ଏହାକୁ ଦେଖିଲେ ସଂସାରର ଲୋକ କ’ଣ କହିବେ ?

ହେ ପ୍ରିୟେ, ତୁ ମୋର ମସ୍ତକର ମୁକୁଟ । କଣ୍ଡର ମାଳା । ମନର ରମଣୀ । ସଂସାରରେ କନ୍ଦର୍ପ ଭୟରେ ମୁଁ ତୋଠାରେ ଶରଣ ଗଲି । ମୋତେ ନାଶ କରି କି ଲାଭ ପାଇବୁ । ରେ ମୃଗଶିଶୁ ନୟନି, ମୋତେ ଚାହାଁ । ଏ ମରଣ ସମୟରେ ମୋତେ ସାହା ହୁଅ ।

ତୋ ମନ ଜାଣି କୋପ ଚିତ୍ତରେ କାମ ମୋ ପ୍ରାଣ ନେଉଛି । ରେ ଯୁବତୀ ରତ୍ନମଣି, ତୁ ହିତାହିତ କ’ଣ ଜାଣିଛୁ । ମୋତେ ନାଶ କଲେ ଜଗତରେ ତୋତେ ଦୋଷ ହେବ । ମୋର ଶରୀର ବିରହାନଳରେ ଜଳୁଛି । ମୋତେ ଯତ୍ନର ସହ ରସକୂପରେ ସ୍ନାନ କରାଅ ।

ରେ ପ୍ରିୟା, ତୋ ସଙ୍ଗରେ ମୁଁ ରସିଲି । ତୋ ବିନା ଅନ୍ୟ ରସବତୀ ମୋତେ ରୁଚୁନାହିଁ । ତୋ ସମାନ କିଏ ବା ଅଛି ? ଆନମନ ନ ହୋଇ ତୁ ଏବେ ମୋତେ ରକ୍ଷା କର । ରେ ରଜତଜିତ ସୁହାସି, ବିମନକୁ ଛାଡ଼ି ଅନୁରାଗ ପୂର୍ଣ୍ଣ ନୟନରେ ଚାହାଁ । ଉତ୍ତମ ବଚନ କହି ଏ ଦାସର ପ୍ରାଣକୁ ରଖ ।

ତୋର ପାଦପଦ୍ମ ଲୋହିତ ବର୍ଣ୍ଣ ହୋଇ ଶୋଭା ଦେଖାଯାଉଛି । ତୋର ରଙ୍ଗ ଚରଣକୁ ମୋ ମୁଣ୍ଡ ଉପରେ ରଖ । କାମ ପଦକ କାମାନଳକୁ ଶାନ୍ତ କର । ମୁଁ ତୋର ପାଦ ଧରୁଛି । ମୋତେ ଉଦ୍ଧାର କର । ଏହା କହି ଶ୍ରୀକୃଷ୍ଣ ରାଧାଙ୍କ ପାଦରେ ହାତ ଲଗାଇଲେ । ସୁମୁଖୀ ରାଧା ଏହା ଦେଖି ଦୁଃଖିତ ହେଲେ ତ ତାଙ୍କ ପାଦତଳେ ପଡ଼ିଗଲେ ।

ବନମାଳୀ ପାଦ ଧରୁଁ କହଇ ରାଧା ସୁଭୂରୁ ବେଳୁବେଳ କର ତାପ ଏମାନ କରି

ବାମା ଅଂଗ ଧରିକରି ବିଶିଖ ଲାଞ୍ଛନକାରୀ ବେଳେହେଁ କି ପାରି ବିରହିଣୀ ଉଦ୍ଧରି ।

ବେଗେ ତୁମ୍ଭେ ଛାଡ଼ ଚରଣ ।

ବିନୟ ଭାବରେ ଚୋରୀ କଲାଣି ମନ ।୨୯।

 

ଶୁଣି ଶ୍ୟାମ ଶ୍ୟାମ ବାଣୀ ଦୀନ ପାଇ ଦିନମଣି ଶଶୀ ଦେଖି ଚକୋର କୁମୁଦ ଶାରଙ୍ଗ

ଶିଷ୍ୟ ଯେହ୍ନେ ବିଦ୍ୟା ପାଇ ବନ୍ଧ୍ୟା ବାଳ ପ୍ରସବଇ ସଦା ସୁଦରିଦ୍ର ପାଇ ନିଧି ସମ୍ପଦ ।

ଶିରୀଧର ଆନନ୍ଦ ତେହ୍ନେ

ସୁଧାପାନ କରି ମନ ମନୁଷ୍ୟ ଯେହ୍ନେ ।୩୦।

ଶାରଙ୍ଗଦନ୍ତ ପଲ୍ୟଙ୍କେ ଶାରଙ୍ଗେ ଘେନି ନିଶଙ୍କେ ଶାରଙ୍ଗ ମୁଖୀ ଶାରଙ୍ଗ କେଳି ସୁଲୋଳେ

ଶାରଙ୍ଗନାଳ ବାହୁରେ କାନ୍ତାଭିଡ଼ି ଶାରଙ୍ଗରେ ଶାରଙ୍ଗ ଉପରୁ ଶୀଘ୍ର ତୋଳି ଯେ ନେଲେ ।

ସାରି ପ୍ରେମ ଶାରଙ୍ଗରଣ

ସହଜେ ଭଜିଲେ ଶାନ୍ତି ଯୁଗଳପ୍ରାଣ ।୩୧।

ସୁମୁଖୀ କରାଇ ବେଶ ଶ୍ୟାମଳି କୁଟିଳ କେଶ ସୁରଙ୍ଗ ରଙ୍ଗ ପତନୀ ପିନ୍ଧାଇ ବାଛି

ଶାରଙ୍ଗ ଅଇରିମଦ ପତ୍ରାବଳୀ କୁଚ ମଧ୍ୟ ସିନ୍ଦୂର ଚନ୍ଦନ ଚିତା କପୋଳେ ରଚି ।

ସୁସଞ୍ଚ ଅଳତା ରଚିଲେ

ସୁବର୍ଣ୍ଣ ନାନା ଭୂଷଣ ଦେହେ ସିଞ୍ଚିଲେ ।୩୨।

ହରରିପୁ କଲା ତ୍ରାସ ହରିଣାଙ୍କ ସୁତ ନାଶ ହିରଣ୍ୟଅଙ୍ଗୀର ସଙ୍ଗେ ରସିଲେ ପୁଣି

ହରିଙ୍ଗ କୋଳରେ ବସି ବିଚାରଇ ଶୁଭ୍ରକେଶୀ ଚଉଷଠି ପରିବନ୍ଧେ କରି ରମଣୀ ।

ହୋଇଲେ ସୁସ୍ଥିର ତରୁଣୀ

ହସି ଗବାକ୍ଷକୁ ଫିଟାଇଲେ ସେ ପୁଣି ।୩୩।

ଛାତି ନ ବଳଇ ଛନ୍ଦି ଭିଡ଼େ ଗାତ୍ର ଷଡ଼ାନନ ତାତ ରିପୁ ବାଧା ନିମନ୍ତେ

ଛାଡ଼ିଲେ ସକଳ ଚିନ୍ତା ପହୁଡ଼ିଲେ କାନ୍ତା କାନ୍ତା ଛଦ୍ରମ ବିଜୁଳି ନବଘନେ ଯେମନ୍ତେ ।

କ୍ଷୁଦ୍ରବୁଦ୍ଧି ଦୀନବଲ୍ଲଭ ।

ଛନ୍ତିଲେ ଏ ସତ୍ୟ ଅନୁଭବ ବିଚାର ।୩୪।

 

ଶବ୍ଦାର୍ଥ- (୨୯) ବନମାଳୀ- ଶ୍ରୀକୃଷ୍ଣ, ସୁଭୂରୁ-ଉତ୍ତମ ଚକ୍ଷୁପତା, ବାମା-ସ୍ତ୍ରୀ । (୩୦) ଶଶୀ-ଚନ୍ଦ୍ର, ସୁଧା-ଅମୃତ, ଶିରଧର-ଶ୍ରୀଧର (ଶ୍ରୀକୃଷ୍ଣ) । (୩୧) ଶାରଙ୍ଗ-ହାତୀ, ଶାରଙ୍ଗମୁଖୀ-ଚନ୍ଦ୍ରମୁଖୀ, ଶାରଙ୍ଗକେଳି-କାମକେଳି । (୩୨) ମୃଗମଦ-କସ୍ତୁରୀ, (୩୩) ହରରି ପୁ-କାମଦେବ, ହିରଣ୍ୟାଙ୍ଗ-ସୁବର୍ଣାଙ୍ଗୀ, ଗବାକ୍ଷ-ଝରକା, (୩୪) ଷଡ଼ାନନ-କାର୍ତ୍ତିକେୟ, ଶିବରିପୁ-କାମଦେବ, ଘନ-ମେଘ ।

 

ଭାବାର୍ଥ- (୨୯-୩୪) ଶ୍ରୀକୃଷ୍ଣ ରାଧାଙ୍କ ପାଦ ଧରିବାକୁ ଗଲାବେଳେ ଉତ୍ତମ ନୟନା ରାଧା କହିଲେ- ହେ କୃଷ୍ଣ, ଏମିତି ମାନ କରି ବେଳକୁ ବେଳ ତାପ କାହିଁକି ବଢ଼ାଉଛ ? ବାମା ଅଙ୍ଗ ଧରି କରି ଅର୍ଥାତ୍ ସ୍ତ୍ରୀ ହୋଇ କାମ, କାମତାପରୁ ଉଦ୍ଧାର କରିପାରିବ କି ? ତୁରନ୍ତ ମୋ ପାଦ ଛାଡ଼-। ତୁମେ ବିନୟ ଭାବରେ ମୋ ମନକୁ ଚୋରି କରିସାରିଲଣି ।

 

ରାଧାଙ୍କଠାରୁ ଏପରି ଶୁଣି ଶ୍ରୀକୃଷ୍ଣ, ଦରିଦ୍ର ପରଶମଣି, ଚକୋର, କୁମୁଦ ଓ ରାତ୍ରି ଚନ୍ଦ୍ର ପାଇଲେ ଯେମିତି ହୁଅନ୍ତି, ସେମିତି ହେଲେ ଆହରି ମଧ୍ୟ ଶିଷ୍ୟ ବିଦ୍ୟା ଲାଭକଲେ, ବନ୍ଧ୍ୟା ସ୍ତ୍ରୀ ବାଳକ ପ୍ରାପ୍ତ ହେଲେ, ଅତି ଦରିଦ୍ରକୁ ଧନ ସମ୍ପଦ ମିଳିଲେ ଓ ମନୁଷ୍ୟ ଅମୃତପାନ କଲେ ଯେମିତି ଖୁସି ହୁଏ, ସେମିତି ଶ୍ରୀକୃଷ୍ଣ ଖୁସି ହେଲେ ।

 

ହାତୀଦାନ୍ତ ପଲ୍ୟଙ୍କରେ ନିଃସଙ୍କୋଚରେ ଚନ୍ଦ୍ରମୁଖୀ ରାଧାଙ୍କୁ କାମକେଳି ରଙ୍ଗରେ ପଦ୍ମନାଡ଼ ପରି କୋମଳରେ ଭିଡ଼ି ଭୂମି ଉପରକୁ ଟେକି ନେଇଗଲେ । ଶ୍ରୀକୃଷ୍ଣ ଓ ରାଧା କାମଯୁଦ୍ଧ ଶେଷ କରି ଦୁହେଁ ସହଜରେ ଶାନ୍ତ ଲାଭ କଲେ ।

 

ସୁମୁଖୀ ରାଧାଙ୍କୁ ଶ୍ରୀକୃଷ୍ଣ ବେଶ କରାଇଲେ । ରାଧାଙ୍କ କଳା କୁଞ୍ଚୁକୁଞ୍ଚିଆ କେଶକୁ ସଜାଇ ଯତ୍ନର ସହ ରଙ୍ଗପତନୀ ଶାଢ଼ି ପିନ୍ଧାଇଲେ । କସ୍ତୁରୀ ପତ୍ରାବଳୀ ବକ୍ଷୋଜ ସ୍ଥଳରେ ରଖିଲେ । କପାଳରେ ଚନ୍ଦନ ସିନ୍ଦୂର ଚିତା ଲଗାଇଲେ । ପାଦରେ ସରୁ ଅଳତା ଦେଲେ । ବିଭିନ୍ନ ସୁନା ଅଳଙ୍କାର ଦେହରେ ସଜାଇଲେ ।

 

ସେହି ସମୟରେ କାମ ମନରେ ଭୟ କଲା ଯେ ବାରମ୍ବାର ହେମାଙ୍ଗୀ ରାଧାଙ୍କ ସଙ୍ଗେ ମଜ୍ଜିଲେ ବୁଦ୍ଧି ରହିବ ନାହିଁ । ଶ୍ରୀକୃଷ୍ଣଙ୍କ କୋଳରେ ବସି ରାଧା ଚଉଷଠି ବନ୍ଧରେ ନାନା ବିଧ କ୍ରୀଡ଼ାରେ ମାତିଲେ । ତା’ପରେ ସ୍ଥିର ହୋଇ ପବନ ପାଇବାକୁ ଝରକାକୁ ଖୋଲି ଦେଲେ ।

 

ସେହି ସମୟରେ କେହି କାହାକୁ କ୍ଷଣିକ ପାଇଁ ଛାଡ଼ିବାକୁ ଇଚ୍ଛା କଲେ ନାହିଁ । କାମବାଧା ଯୋଗୁଁ ସବୁ ଚିନ୍ତା ଛାଡ଼ି ରାଧାକୃଷ୍ଣ ଏକାନ୍ତରେ ପହୁଡ଼ି, ମେଘ ଓ ବିଜୁଳି ପରି ଦେଖାଗଲେ । ଦୀନକୃଷ୍ଣ ଏ ଗୀତ ରଚନା କଲେ ।

Image